ଓଡିଶାରେ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ନିର୍ବାଚନ ପ୍ରଚାର ଜୟପୁରରୁ ଆରମ୍ଭ: , ଖଣି ଥିବା ସତ୍ୱେ ଓଡିଶାର ବିକାଶ ହୋଇପାରୁନାହିଁ, ଓଡିଶା ଓ କେନ୍ଦ୍ରରେ ବିଜେପିକୁ ଭୋଟଦେବାକୁ ନିବେଦନ – ନରେନ୍ଦ୍ର ମୋଦି

Spread the love

କୋରାପୁଟ ୨୯/୩ (ସନ୍ଧାନ ନିୟୁଜ) କୋରାପୁଟ ଲୋକସଭା ଆସନ ନିମନ୍ତେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୧୧ ତାରିଖରେ ହେବାକୁ ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାରେ ତାଙ୍କର ପ୍ରଥମ ନିର୍ବାଚନ ପ୍ରଚାର କୋରାପୁଟ ଜିଲ୍ଲାର ଜୟପୁରଠାରୁ ଆରମ୍ଭ କରିଛନ୍ତି। ଜୟପୁରର ବାଙ୍କବିଜା ପଡିଆଠାରେ ମୋଦୀ ପହଂଚିବା ପରେ ପଦ୍ମଶ୍ରୀ କମଳା ପୂଜାରୀ ଆଦିବାସୀଙ୍କ ପାରମ୍ପରିକ ଟୋପି ତଲାରି ପିନ୍ଧାଇ ମୋଦୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଜୟ ଜଗନ୍ନାଥରୁ ନିଜର ଭାଷଣ ଆରମ୍ଭ କରି ଆପଣ କେମତି ଅଛନ୍ତି ବୋଲି ଓଡିଆରେ ମୋଦୀ ଉପସ୍ଥିତ ଜନତାଙ୍କୁ ପଚାରିଥିଲେ। ପ୍ରଭୁ ଗୁପ୍ତେଶ୍ୱର ଓ ମା’ ତାରିଣୀଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ସହୀଦ ଲକ୍ଷ୍ମଣ ନାୟକଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ଧାନ ବିହନକୁ ସଂରକ୍ଷିତ କରି କମଳା ପୂଜାରୀ ସାରା ବିଶ୍ୱରେ ନିଜ ନାମକୁ ପରିଚୟ ଦେଇପାରିଥିବାରୁ ଏବଂ ସଭାରେ କମଳା ଉପସ୍ଥିତ ଥିବାରୁ ନିଶ୍ଚିତଭାବେ କମଳର ଶକ୍ତି ବୃଦ୍ଧି ପାଇବ ବୋଲି ସେ ପ୍ରକାଶ କରିଥିଲେ। ଓଡିଶାରେ ୮ ଲକ୍ଷ ଗରୀବଙ୍କୁ ଘର ମିଳିଥିବା ବେଳେ ଉଜ୍ଜଳା ଯୋଜନାରେ ୪୦ ଲକ୍ଷ ଘରେ ଗ୍ୟାସ ପହଂଚିଛି ବୋଲି ସେ ସୂଚନା ଦେଇଥିଲେ। ୩ ହଜାର ଗ୍ରାମରୁ ଅନ୍ଧାର ଦୂର ହୋଇପାରିଥିବା ବେଳେ ୨୪ ଲକ୍ଷ ଘରକୁ ବିଜୁଳି ମାଗଣାରେ ମିଳିଛି ବୋଲି ସେ ପ୍ରକାଶ କରିଥିଲେ। ଆଦିବାସୀମାନଙ୍କ ବିକାଶ ନିମନ୍ତେ ଜିଲ୍ଲା ମିନେରାଲ ଫଣ୍ଡରୁ ୬୫୦୦ କୋଟି ପ୍ରଦାନ କରାଯାଇଥିବା ବେଳେ ରାଜ୍ୟ ସରକାର ମାତ୍ର ୧ ହଜାର କୋଟି ଟଙ୍କା ଖର୍ଚ୍ଚ କରିପାରିଛନ୍ତି ବୋଲି ସେ ସୂଚନା ଦେଇଥିଲେ। ରାଜ୍ୟ ସରକାର ଖଣି ମାଫିଆ ଓ ଚିଟଫଣ୍ଡ ଦୋଷୀ ଉପରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ। ମହିଳା ଓ ବାଳିକାମାନେ ରାଜ୍ୟରେ ସୁରକ୍ଷିତ କି ବୋଲି ସେ ଆହୁରୀ ପ୍ରଶ୍ନ କରିଥିଲେ। ଓଡ଼ିଶାରେ ଖଣି ଥିବା ସତ୍ୱେ ଓଡିଶାରେ ବିକାଶ ହୋଇପାରୁନାହିଁ ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ। ଏହାଦ୍ୱାରା କଣ ଓଡିଶାରେ ବିକାଶ ହେବ କି ବୋଲି ସେ କହିବା ସହ ଓଡିଶା ଓ କେନ୍ଦ୍ରରେ ବିଜେପି ସରକାର ଆସିଲେ ଓଡିଶାର ବିକାଶ ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ। ତେଣୁ ବିଜେପି ପ୍ରାର୍ଥିମାନଙ୍କୁ ଭୋଟ ଦେବାକୁ ସେ ନିବେଦନ କରିଥିଲେ। ଆଦିବାସୀମାନଙ୍କ କଲ୍ୟାଣ ନିମନ୍ତେ ବଜେଟରେ ୩୦ ପ୍ରତିଶତ ବୃଦ୍ଧି କରାଯାଇଛି ବୋଲି ସେ ପ୍ରକାଶ କରିଥିଲେ। ଯୁବକ /ଯୁବତୀମାନଙ୍କ ରୋଜଗାର, କୃଷକମାନଙ୍କୁ ଜଳସେଚନ ପାଇଁ ଚେଷ୍ଟା କରାଯାଉଥିବା ସେ ସୂଚନା ଦେଇଥିଲେ। ଏସଏଚଜିକୁ ସଶକ୍ତି କରିବାକୁ ମୁଦ୍ରା ଯୋଜନାରେ ଋଣ ପ୍ରଦାନ କରାଯାଉଥିବା ସେ ପ୍ରକାଶ କରିଥିଲେ। ଏହି ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ନେତା ବୈଜୟନ୍ତ ପଣ୍ଡା, ବିଜୟ ମହାପାତ୍ର, କୋରାପୁଟ ଲୋକସଭା ଆସନ ନିମନ୍ତେ ପ୍ରାର୍ଥି ଜୟରାମ ପାଙ୍ଗୀ, କୋରାପୁଟ ବିଧାନସଭା ଆସନର ପ୍ରାର୍ଥି ତ୍ରୀପୁରାରୀ ଗରଡା, ଜୟପୁର ବିଧାନସଭା ଆସନର ପ୍ରାର୍ଥି ଗୌତମ ସାମନ୍ତରାୟଙ୍କ ସହ ଅନେକ ବିଜେପି ନେତା ଓ କର୍ମି ଉପସ୍ଥିତ ଥିଲେ।

 

Report- ରଂଜନ କୁମାର ଦାସ

Related Posts

About The Author

Add Comment