ଯାଜପୁର ୫/୭ (ସନ୍ଧାନ ନିୟୁଜ )- ସମୁଦ୍ର ପତ୍ତନଠାରୁ ୩୦୦ ମିଟର ଉଚ୍ଚତାରେ ପାହାଡ ଉପରେ ଅବସ୍ଥିତ ଥିବା ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଳକ ଅନ୍ତର୍ଗତ ଐତିହ୍ୟ ସମ୍ପନ୍ନ ବଲରାମପୁର ଉପରଗଡରେ ମହାପ୍ରଭୁଙ୍କ ଘୋଷ ଯାତ୍ରା ଯଥାବିଧି ବୈଦିକ ରୀତିମତେ ଅନୁଷ୍ଠିତ ହୋଇଯାଇଛି।ପ୍ରାଚୀନ କିମ୍ବଦନ୍ତୀ ବହନ କରୁଥିବା ଏଠାକାର ଜଗନ୍ନାଥ ମନ୍ଦିରରେ କାର୍ଯ୍ୟସୂଚୀ ଅନୁଯାୟୀ ସକାଳ ୭ ଘଟିକା ସମୟରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନିକଟରେ ମଙ୍ଗଳ ଆଳତି, ବାଳଧୂପ, ୧୦.୩୦ ମି. ସମୟରେ ଖେଚୁଡ଼ି ଭୋଗ କରାଯାଇ ଅପରାହ୍ନ ୨ଟା ରେ ମହାପ୍ରଭୁଙ୍କ ସେନାପଟା ଲାଗି କରାଯାଇଥିଲା ।ଅପରାହ୍ନ ଘ ୨.୩୦ ମି.ରେ ଶତାଧିକ ଭକ୍ତଙ୍କ ହରିବୋଲ, ହୁଳହୁଳି ଓ ଘଣ୍ଟଘଣ୍ଟା ଧ୍ୱନିରେ କ୍ରମାନ୍ଵୟରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପହଣ୍ଡି ବିଜେ କରାଯାଇ ରଥାରୂଢ କରାଯିବା ସହିତ ରାଜା ପ୍ରବୀର ଚନ୍ଦ୍ର ଧୀର ଦେଵ ହରିଚନ୍ଦନଙ୍କ ଦ୍ଵାରା ଛେରାପହଁରା କାର୍ଯ୍ୟ ସମ୍ପାଦନ କରାଯାଇଥିଲା । ଅପରାହ୍ନ ୩ ଘଟିକା ସମୟରେ ଭକ୍ତମାନେ ମହାଆନନ୍ଦରେ ରଥକୁ ଟାଣି ଟାଣି ୩୦୦ ମିଟର ଦୂରରେ ଥିବା ମାଉସୀମା ଘରକୁ ଶ୍ରୀଜୀଉମାନଙ୍କୁ ନେଇଯାଇଥିଲେ।ପ୍ରଭୁଙ୍କ ଏହି ପବିତ୍ର ଦିନରେ ପୀଠଟି ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଉଠିଥିଲା । ଆଖପାଖ ଅଞ୍ଚଳର ବହୁ ଜଗନ୍ନାଥ ପ୍ରେମୀ ଏହି ଅପୂର୍ବ ଲୀଳାକୁ ଦେଖି ନିଜକୁ କୃତାର୍ଥ ମନେ କରିଥିଲେ। ଏହାକୁ ମନ୍ଦିର ପରିଚାଳକ ଦିଲୀପ କୁମାର ଧୀର, ରାଜପୁରୋହିତ ଅଗଣି ଚରଣ ମିଶ୍ର, ପୂଜାରୀ ଗୁଣନିଧି ପଣ୍ଡା, ରବୀନ୍ଦ୍ର ପଣ୍ଡା ଓ ଅଜୟ ଧୀରଙ୍କ ସମେତ ବଲରାମପୁର ଅଞ୍ଚଳବାସୀ ପରିଚାଳନା କରିବାରେ ପୂର୍ଣ୍ଣ ସହଯୋଗ କରିଥିଲେ ।ଏହାଛଡା ବୃନ୍ଦାଦେଇପୁର ଅଂଚଳରେ ରଥଯାତ୍ରା ଉପଲକ୍ଷେ ଏକ ସୁସଜ୍ଜିତ ରଥରେ ଶ୍ରୀଜୀଉମାନଙ୍କୁ ବିଜେ କରାଯାଇ ଛୋଟ ଛୋଟ ପିଲାମାନଙ୍କ ଦ୍ୱାରା ଏକ ଭକ୍ତିମୟ ପରିବେଶରେ ରଥ ଟଣାଯାଉଥିବାର ଦୃଶ୍ୟ ଖୁବ ଉପଭୋଗ୍ୟ ହୋଇଥିଲା।ସେହିପରି ସ୍ଥାନୀୟ ବଲରାମପୁର ତଳଗଡ, ଚଉଷଠି ପଡା ଗଡ଼, କବାଟବନ୍ଧ, ଜେନାପୁର, ଗଡମଧୁପୁର, କଦମପାଳ, ଭାଲୁଖାଇ, ସୁକିନ୍ଦାଗଡ ଓ ଦର୍ପଣ ଗଡ଼ ଆଦି ସ୍ଥାନରେ ମଧ୍ୟ ଶ୍ରୀଗୁଣ୍ଡିଚା ରଥଯାତ୍ରା ଅବସରରେ ଭକ୍ତ ଓ ଭଗବାନଙ୍କର ମହାମିଳନ ଦେଖିବାକୁ ମିଳିଥିଲା।
Report- Prasanta Samal



