ରାଉରକେଲା୨୧/୮ (ସନ୍ଧାନ ନିୟୁଜ/ସୁବୋଧ ନାୟକ): ପ୍ରତି ପରିବାରରେ ଥିବା ପିଲାମାନଙ୍କ ପାଇଁ ବାପା, ମା’ ସବର୍ଦା ଯତ୍ନବାନ ହେବା ସହ ସେମାନଙ୍କ ପାଇଁ ଚିନ୍ତିତ ଥିବା ଦେଖିବାକୁ ମିଳେ । ମାତ୍ର ସମୟ ସମୟରେ ପିଲାମାନଙ୍କ ବାଚଳାମି ପିତାମାତାଙ୍କ ପାିଁ ଚିନ୍ତାର କାରଣ ସାଜିଥାଏ । ସନ୍ତାନସନ୍ତତି ମାନଙ୍କ ବାଚଳାମି ବାପା ମା’ଙ୍କ ନିଦ ମଧ୍ୟ ଉଡ଼ାଇ ଦେଇଥାଏ । ଏପରି ଏକ ଘଟଣା ଏବେ ସାରନଗରୀ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରାପ୍ତ ସୂଚନା ଅନୁଯାୟୀ, ସାରନଗରୀ ସି- ୧୧୩ରେ ଦିଲୀପ ମହାକୁଡ଼ ସପରିବାର ବାସ କରନ୍ତି । ତାଙ୍କ ପୁତ୍ର ଅବିନାଶ ମହାକୁଡ଼ ବାରିପଦା ଶିଶିରବଣିର ସ୍ୱାମୀ ବିବେକାନନ୍ଦ ଶିକ୍ଷାଶ୍ରମ ନାମକ ଏକ ଆବାସିକ ବିଦ୍ୟାଳୟରେ ନବମ ଶ୍ରେଣୀରେ ପାଠ ପଢନ୍ତି । ଘଟଣାକ୍ରମେ ଗତ ଅଗଷ୍ଟ ୧୫ ତାରିଖ ବିଳମ୍ବିତ ରାତ୍ରିରେ ଛାତ୍ର ଅବିନାଶ ତାଙ୍କର ୨ ଜଣ ସାଙ୍ଗ ବାଲେଶ୍ୱର ନିବାସୀ ସୁଶାନ୍ତ ମିଶ୍ରଙ୍କ ପୁତ୍ର ଶୁଭଙ୍କର ମିଶ୍ର ଓ ଟାଟା ଅଂଚଳର ହେମନ୍ତ ସାହୁଙ୍କ ସହ ଶିକ୍ଷାଶ୍ରମ ଛାଡ଼ି ରହସ୍ୟଜନକ ଭାବେ ସେଠାରୁ ଉଭାନ ହୋଇଯିବା ପରେ କେଯଣସି ଟ୍ରେନରେ ମାୟାନଗରୀ ମୁମ୍ବାଇକୁ ଯାତ୍ରା କରିଥିଲେ । ସେଠାରେ ବୁଲାବୁଲି କରିବା ପରେ ପୁଣି ରାଉରକେଲା ଅଭିମୁଖେ କୁଆଡେ ଟ୍ରେନରେ ବାହାରିଥିଲେ । ମାତ୍ର ତିନି ସାଙ୍ଗଙ୍କ ମଧ୍ୟରୁ ହେମନ୍ତ ସାହୁ ଟାଟାନଗର ଠାରେ ଓହ୍ଲାଇ ପଡ଼ି ସେ ରହୁଥିବା ଗମରାଡିହକୁ ଚାଲିଯାଇଥିଲେ । ଦୁଇ ସାଙ୍ଗ ଅବିନାଶ ଓ ଶୁଭଙ୍କର ରାଉରକେଲା ଷ୍ଟେସନରେ ଓହ୍ଲାଇବା ପରେ ସାରନଗରୀ ପହଂଚିଥିଲେ । ମାତ୍ର ରାତ୍ରୀରେ ଟାଙ୍ଗରପାଲୀ ଥାନା ପାଟ୍ରୋଲିଂ ଗାଡ଼ି ହାତରେ ଉଭୟେ ଧରାପଡ଼ିବା ପରେ ପୁଲିସ ସେମାନଙ୍କୁ ଥାନା ନେଇ ପଚରା ଉଚରା କରିବା ପରେ ସମସ୍ତ ଗଟଣା ବିଷୟରେ ଜାଣିବାକୁ ପାଇଥିଲା । ଟାଙ୍ଗରପାଲୀ ଥାନା ପୁଲିସ ଫୋନ ଯୋଗେ ବାରିପଦା ପୁଲିସକୁ ଖବର ଦେବା ପରେ ଆଜି ମଧ୍ୟାହ୍ନରେ ବାରିପଦା ଥାନା ପୁଲିସ ଓ ସ୍କୁଲ କର୍ତୃପକ୍ଷ ଟାଙ୍ଗରପାଲୀ ଥାନା ପହଂଚି ଦୁଇ ନାବାଳକ ଅବିନାଶ ଓ ଶୁଭଙ୍କରଙ୍କୁ ବାରିପଦା ନେଇଯିବା ପରେ ଘଟଣାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଏହାପୂର୍ବରୁ ବାରିପଦାରେ ସ୍କୁଲ କର୍ତୃପକ୍ଷ ଏହି ଘଟଣା ସମ୍ପର୍କରେ ଜାଣିବାକୁ ପାଇବା ପରେ ସ୍ଥାନୀୟ ଥାନାରେ ୩ ଛାତ୍ର ନିଖୋଜ ଏତଲା ଦେବା ସହ ଉକ୍ତ ୩ ଛାତ୍ରଙ୍କ ପରିବାରବର୍ଗଙ୍କୁ ଖବର ଦେଇଥିଲେ । ଅପରପକ୍ଷରେ ଅବିନାଶଙ୍କ ବାପା, ମା, ବ୍ୟସ୍ତ ବିବ୍ରତ ହୋଇ ଚାରିଆଡେ ଅବିନାଶଙ୍କୁ ଖୋଜିବା ପରେ କୌଣସି ସନ୍ଧାନ ନପାଇ ବାରିପଦା ସ୍ଥିତ ଆବାସିକ ବିଦ୍ୟାଳୟକୁ ବ୍ୟସ୍ତ ବିବ୍ରତ ଭାବେ ଯାତ୍ରା କରିଥିଲେ ।
ଏ ନୁହେଁ କାହାଣୀ!… ମାୟାନଗରୀ ମୁମ୍ବାଇ ବୁଲିଲେ ୩ ନାବାଳକ ଛାତ୍ର
|
August 21, 2019 |



