ଏତେ ଚାପ କେବେ ପଡ଼ିନଥିଲା: ପୂର୍ବତନ ପରିସଂଖ୍ୟାନବିତ୍

Spread the love

ନୂଆଦିଲ୍ଲୀ,  ୨୬/୨ (ସନ୍ଧାନ ନିଉଜ) : ନିଯୁକ୍ତି ସମ୍ପର୍କିତ ରିପୋର୍ଟକୁ ସରକାର ଚାପି ଦେଇଥିବା ଅଭିଯୋଗ କରି ନିକଟରେ ଜାତୀୟ ପରିସଂଖ୍ୟାନ କମିସନର ମୁଖ୍ୟ ପଦରୁ ଇସ୍ତଫା ଦେଇଥିବା ପି ସି ମୋହନନ ପୁଣି ଥରେ ମୁହଁ ଖୋଲିଛନ୍ତି। ‌ନିକଟ ଅତୀତକୁ ବାଦ ଦେଲେ ମୁଁ କେବେ ବି ଏତେ ଚାପ ଅନୁଭବ କରିନଥିଲି ବୋଲି ସେ କହିଛନ୍ତି। ସେ ମନେ ପକାଇ ଦେଇଛନ୍ତି ଯେ, ୧୯୯୦ର ଅର୍ଥନୈତିକ ସଂସ୍କାର ସମୟରେ ମଧ୍ୟ କମିସନ ଦାରିଦ୍ର୍ୟ ସମ୍ପର୍କିତ ରିପୋର୍ଟ ଦେଇଥିଲା। ସେଥିରେ ଦାରିଦ୍ର୍ୟ ବଢ଼ିଥିବା ଉଲ୍ଲେଖ ଥିଲା। କିନ୍ତୁ କେହି ସେହି ରିପୋର୍ଟ ଉପରେ ପ୍ରଶ୍ନ ଉଠାଇନଥିଲେ। ମୋଦୀ ସରକାରଙ୍କ ନାମ ନନେଇ ସେ କହିଛନ୍ତି ଯେ, ସରକାରଙ୍କ ହସ୍ତକ୍ଷେପ ପରିସଂଖ୍ୟାନ ତଥ୍ୟର ବିଶ୍ବାସନୀୟତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପରିସଂଖ୍ୟାନ କମିସନଙ୍କ ରିପୋର୍ଟ ଉପରେ ଏକ ସରକାରୀ ସଂସ୍ଥା (ନିତି ଆୟୋଗ)ର ପ୍ରଶ୍ନ ଚିହ୍ନକୁ ସେ ନାପସନ୍ଦ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ନିଯୁକ୍ତି ସମ୍ପର୍କିତ ରିପୋର୍ଟକୁ ସରକାର ଚାପି ରଖିଥିବା ପ୍ରତିବାଦରେ ମୋହନନ ଗତ ଜାନୁଆରିରେ ନିଜ ପଦରୁ ଇସ୍ତଫା ଦେଇଥିଲେ। ତାଙ୍କର ଅନ୍ୟ ଜଣେ ସହଯୋଗୀ ମଧ୍ୟ କମିସନରୁ ଇସ୍ତଫା ଦେଇଥିଲେ। ସାତ ଜଣିଆ ସଦସ୍ୟ ବିଶିଷ୍ଟ ଜାତୀୟ ପରିସଂଖ୍ୟାନ କମିସନ ଏବେ ପ୍ରାୟ ଅଚଳ ହୋଇପଡ଼ିଛି। ସମସ୍ତ ବାହ୍ୟ ସଦସ୍ୟ ଇସ୍ତଫା ଦେଇ ଚାଲିଯାଇଛନ୍ତି। ଏବେ କେବଳ ଦୁଇ ଜଣ ସରକାରୀ ସଦସ୍ୟ କମିସନରେ ଅଛନ୍ତି।

Related Posts

About The Author

Add Comment