ନୂଆଦିଲ୍ଲୀ ୨୭/୧୨/୨୫ (ସନ୍ଧାନ ନ୍ୟୁଜ) : କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ଉନ୍ନାଓ ବଳାତ୍କାର ମାମଲାରେ ଦିଲ୍ଲୀ ହାଇକୋର୍ଟର ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି। ହାଇକୋର୍ଟଙ୍କ ଦଣ୍ଡାଦେଶ ସ୍ଥଗିତ ରଖିବା ଏବଂ ଜାମିନ ପ୍ରଦାନ କରିବା ଆଦେଶର ପୁନର୍ବିଚାର କରିବାକୁ CBI ସୁପ୍ରିମକୋର୍ଟକୁ ଅନୁରୋଧ କରିଛି। ୨୦୧୯ ଡିସେମ୍ବରରେ କୁଲଦୀପ ସିଂହ ସେଙ୍ଗରଙ୍କୁ ଆଜୀବନ କାରାଦଣ୍ଡ ଏବଂ୨ ୫ ଲକ୍ଷ ଜରିମାନା ଦଣ୍ଡ ଦିଆଯାଇଥିଲା। ସେ ୨୦୨୦ ଜାନୁଆରୀରେ ଦିଲ୍ଲୀ ହାଇକୋର୍ଟରେ ଏହି ଦଣ୍ଡାଦେଶ ବିରୁଦ୍ଧରେ ଆବେଦନ କରିଥିଲେ। ପରବର୍ତ୍ତୀ ସମୟରେ, ୨୦୨୨ ମାର୍ଚ୍ଚରେ ଦଣ୍ଡାଦେଶ ସ୍ଥଗିତ ରଖିବା ପାଇଁ ଏକ ଆବେଦନ ଦାଖଲ କରାଯାଇଥିଲା। ଏହି ଆବେଦନକୁ CBI ଏବଂ ପୀଡିତାଙ୍କ ପ୍ରତିନିଧିତ୍ୱ କରୁଥିବା ଓକିଲମାନେ ଦୃଢ଼ ବିରୋଧ କରିଥିଲେ।
ସେଙ୍ଗରଙ୍କ ଦଣ୍ଡାଦେଶକୁ ସ୍ଥଗିତ ରଖିଛନ୍ତି ହାଇକୋର୍ଟ
ସମସ୍ତ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ, ଦିଲ୍ଲୀ ହାଇକୋର୍ଟ ୨୦୨୫ ଡିସେମ୍ବର ୨୩ରେ ଆବେଦନର ନିଷ୍କର୍ଷ ନହେବା ପର୍ଯ୍ୟନ୍ତ ସେଙ୍ଗରଙ୍କ ଦଣ୍ଡାଦେଶକୁ ସ୍ଥଗିତ ରଖିଥିଲେ ଏବଂ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ। ତଥାପି, ଏହି ଆଶ୍ୱସ୍ତି ସତ୍ତ୍ୱେ, ସେଙ୍ଗର ତୁରନ୍ତ ଜେଲ ଛାଡିପାରିବେ ନାହିଁ, କାରଣ ସେ ଅନ୍ୟ ଏକ CBI ମାମଲାରେ ହତ୍ୟା ଅପରାଧ ପାଇଁ ୧୦ ବର୍ଷର ସଜା କାଟୁଛନ୍ତି। ଦିଲ୍ଲୀ ହାଇକୋର୍ଟର ଆଦେଶ ଅଧ୍ୟୟନ କରିବା ପରେ, ସିବିଆଇ ଡିସେମ୍ବର ୨୬ରେ ସୁପ୍ରିମକୋର୍ଟରେ ଏକ ସ୍ୱତନ୍ତ୍ର ପିଟିସନ ଦାଖଲ କରି ହାଇକୋର୍ଟ୮୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଛି।
ସେଙ୍ଗରଙ୍କ ଜାମିନ ପରିବାର ପାଇଁ ବିପଦ ସୃଷ୍ଟି କରିଛି: ପୀଡିତା
ଉନ୍ନାଓ ବଳାତ୍କାର ପୀଡିତା ଶୁକ୍ରବାର କହିଛନ୍ତି, କୁଲଦୀପ ସେଙ୍ଗରଙ୍କ ଆଜୀବନ କାରାଦଣ୍ଡକୁ ସ୍ଥଗିତ ରଖିବା ନିଷ୍ପତ୍ତି ଦ୍ୱାରା ସେ ଭୟଭୀତ ହେବେ ନାହିଁ ଏବଂ ମାମଲାରେ ନ୍ୟାୟ ପ୍ରଦାନ ପାଇଁ ସୁପ୍ରିମକୋର୍ଟଙ୍କ ଉପରେ ତାଙ୍କର ପୂର୍ଣ୍ଣ ବିଶ୍ୱାସ ଅଛି। ପୀଡିତା କହିଛନ୍ତି ଯେ ସେଙ୍ଗରଙ୍କ ଜାମିନ ତାଙ୍କ ପରିବାରର ସୁରକ୍ଷା ଏବଂ ଜୀବିକାକୁ ବିପଦରେ ପକାଇଛି। ଏହି ଆଦେଶ ମୋତେ ଏବଂ ମୋ ପରି ଅନେକ ମହିଳାଙ୍କ ସ୍ଵାଧୀନତାକୁ ବିପଦରେ ପକାଇଛି। ମୋ ସ୍ଵାମୀ ତାଙ୍କ ଚାକିରି ହରାଇଛନ୍ତି। ଏବେ ଆମେ କ’ଣ କରିବା ଉଚିତ? ପୀଡିତା ଏହି ମାମଲାରେ ଆଇନଗତ ଲଢ଼େଇ ଜାରି ରଖିବାକୁ ପ୍ରତିଜ୍ଞା କରି କହିଛନ୍ତି ଯେ, ସେ ଭୟରେ ଡରିଯିବା ଭଳି ନୁହଁନ୍ତି। ସେ କହିଛନ୍ତି, କୁଲଦୀପ ସେଙ୍ଗର ଭାବିଥିଲେ ଯେ ଆମେ ଭୟଭୀତ ହେବୁ ଏବଂ ଚୁପ୍ ରହିବୁ। ସେ କେବେ ଦୁର୍ଗା ରୂପରେ ଜଣେ ମହିଳାଙ୍କୁ ଦେଖିନାହାନ୍ତି। ଆମେ ଭୟଭୀତ ହେବୁ ନାହିଁ।



