ଆଧାର କାର୍ଡରେ ମୋବାଇଲ ନମ୍ବର ଲିଙ୍କ୍ ନାଁରେ ଶୋଷଣ ଅଭିଯୋଗ

Spread the love

ଜେନାପୁର,୧୮/୯(ସନ୍ଧାନ ନ୍ୟୁଜ୍): ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ୍ ର ଆଖପାଖ ଅଞ୍ଚଳରେ ଆଧାର କାର୍ଡରେ ମୋବାଇଲ ନମ୍ବର ସଂଯୋଗ, ଆଧାର ସଂଶୋଧନ, ନୂଆ ଆଧାର କାର୍ଡ ଆବେଦନ ବାବଦକୁ ବହୁ ଜନସେବା କେନ୍ଦ୍ର ଓ ଆଧାର କେନ୍ଦ୍ରରେ ସରକାରୀ ଭାବେ ନିର୍ଦ୍ଧାରିତ ମୂଲ୍ୟଠାରୁ ଅଧିକ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହେଉଛି। ସରକାରଙ୍କ ବିଭିନ୍ନ ଯୋଜନାରେ ଆବେଦନ କରିବାକୁ ହେଲେ ମୁଖ୍ୟତଃ ହିତାଧିକାରୀଙ୍କ ପାଇଁ ଆଧାର କାର୍ଡ ସହିତ ମୋବାଇଲ ନମ୍ବର ଲିଙ୍କ୍ ବାଧ୍ୟତାମୂଳକ ରହିଛି | ଶିଶୁ ଆଧାର ଠାରୁ ଆରମ୍ଭ କରି ନାମ ସଂଶୋଧନ,ବାୟୋମେଟ୍ରିକ୍ ଅପଡେଟ୍,ପିତା ନାମ ପରିବର୍ତ୍ତନ,ମୋବାଇଲ୍ ନମ୍ବର ଲିଙ୍କ୍,ଫଟୋ ଅପଡେଟ୍ ଓ ନାମ ପରିବର୍ତ୍ତନ ପାଇଁ ୫ ରୁ ୬ ଥର ଯାଇ ଲାଇନ ଲଗାଇ କରିବାକୁ ପଡୁଛି । ଥରକୁ ଥର ୨୦୦ ରୁ ୨୫୦ ଟଙ୍କା ଦେୟ ଦେବାକୁ ପଡୁଛି । କହିବାକୁ ଗଲେ ଗୋଟିଏ ଆଧାର ସଂଶୋଧନ କରିବା କୁ ହେଲେ ଜଣେ ହିତାଧିକାରୀ କୁ ୧୦୦୦ ରୁ ୧୨୦୦ ଟଙ୍କାର ଦେୟ ଦେଇ କରିବାକୁ ପଡୁଛି ।ଏହି କାରଣରୁ ଆଧାର କାର୍ଡ କରିବା ପାଇଁ ଆଧାର କେନ୍ଦ୍ର ଓ ଜନସେବା କେନ୍ଦ୍ରରେ ଅସମ୍ଭାଳ ଭିଡ଼ ଦେଖୁବାକୁ ମିଳିଛି। ଭୋରରୁ ମହିଳାମାନେ ଆସି ଆଧାର କେନ୍ଦ୍ରରେ ଧାଡ଼ି ବାନ୍ଧୁଛନ୍ତି | ଗୋଟିଏ ଦିନ ପୂର୍ବରୁ ଆଧାର କେନ୍ଦ୍ରରେ ସିରିଏଲ କରି ପରଦିନ ଆସି କାମ କରିବାକୁ ପଡୁଛି | ଏତେ ସଂଖ୍ୟକ ଲୋକଙ୍କ ନିର୍ଦ୍ଧାରିତ ସମୟ ମଧ୍ୟରେ ଏହା ହେବା ଜରୁରି ମନେ କରି କିଛି ଅସାଧୁ ଜନସେବା କେନ୍ଦ୍ର ଏହାର ଫାଇଦା ଉଠାଉଛନ୍ତି। ଆଧାର କାର୍ଡ କରିବାକୁ ହେଲେ ସରକାରୀ ଭାବେ ୫୦ ଟଙ୍କା ଲେଖାଏଁ ଦେବାକୁ ଧାର୍ଯ୍ୟ କରାଯାଇଛି। କେଉଁ ସେବା ପାଇଁ କେତେ ଟଙ୍କା ଦେବାକୁ ପଡ଼ିବ ତାହା ମଧ୍ଯ କୌଣସି ସୂଚନା ଫଳକ ଲଗା ଯାଇନାହିଁ I କିଛି ଅସାଧୁ ଆଧାର କେନ୍ଦ୍ରରେ ଏ ବାବଦକୁ ୧୫୦ରୁ ୨୫୦ ଟଙ୍କା ଲେଖାଏଁ ଆଦାୟ କରି ମାଲେମାଲ୍ ହେବାର ଲାଗିଛନ୍ତି । ହିତାଧିକାରୀମାନେ କୌଣସି ସୁବିଧା ନ ପାଇଁ ବାରମ୍ବାର ଆଧାର କେନ୍ଦ୍ର ଓ ଜନସେବା କେନ୍ଦ୍ର ଯାଇ ଆର୍ଥିକ ଶୋଷଣ ଛଡା ଉପାୟ କିଛି ନାହିଁ । ସେହିପରି ଏ ଅଞ୍ଚଳର କବାଟବନ୍ଧ, ମର୍ଜିତାପୁର, ମଧୁସୂଦନପୁର, ରାଇଛନ୍ଦା, ତାଳଜଙ୍ଗ, ରେଖୁଦେଈପୁର, ଏଣ୍ଡଳବା, ଚକ୍ରଧରପୁର, ଅଞ୍ଜିରା, ସାହାଣୀଡିହ, ଜେନାପୁର, ବୃନ୍ଦାଦେଈପୁର ସମେତ ବହୁ ପଞ୍ଚାୟତର ମହିଳା ଏହାର ଶିକାର ହେଉଥ‌ିବା ଅଭିଯୋଗ କରିଛନ୍ତି । ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହା ଉପରେ କଡା ନଜର ରଖି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବୀ କରିଛନ୍ତି ।

 

Related Posts

About The Author

Add Comment