ବାରିପଦା ୨୧/୮/୨୦(ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ଆଦିବାସୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବି କରିଛି ଜେଏମ୍ଏମ୍ ଯୁବମୋର୍ଚ୍ଚା । ଏହି ଦାବି କରି ଦଳ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି । ଜେଏମ୍ଏମ୍ ର ଯୁବନେତା ଅର୍ଜୁନ ମୁର୍ମୁଙ୍କ ନେତୃତ୍ବରେ ଏହି ବିକ୍ଷୋଭ କରାଯାଇଥିଲା । ଗତ ଜୁଲାଇ ୨ରେ ଠାକୁରମୁଣ୍ଡା ବ୍ଳକ୍ ଧାତକିଡିହା କଲୋନି ସାହିର ଛାତ୍ରୀ ସୁନୟନା ସିଂଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଜ୍ୟୋତିରାମ ପାଦୁରିଆଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଥିଲା । ଜୁଲାଇ ୩ରେ ଏହି ମାମଲା ପଞ୍ଜିକୃତ ହୋଇଥିଲା । ଅଭିଯୁକ୍ତ ଜ୍ୟୋତିରାମଙ୍କୁ ଅଗଷ୍ଟ ୧୬ରେ ଗିରଫ କରାଯାଇଥିଲା । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଥିଲା । ମୟୂରଭଞ୍ଜରେ ଜଣେ ୧୮ ବର୍ଷର ବାଳିକାଙ୍କୁ ବଳାତ୍କାର ଓ ହତ୍ୟା ଘଟଣାରେ ଏସ୍ ସି ଏସ୍ ଟି ଏଟ୍ରୋସିଟି ଆକ୍ଟ ଲଗାଇ ଚାର୍ଜସିଟ ଫାଇଲ ହେବା ସହ ତୁରନ୍ତ ପୀଡ଼ିତାଙ୍କ । ପରିବାରକୁ କ୍ଷତିପୂରଣ ଦିଆଯାଇ ନଥିବା ଅଭିଯୋଗ ଥିଲେ ହେଁ ଏପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ପୀଡ଼ିତାଙ୍କ ପରିବାରକୁ କ୍ଷତିପୂରଣ ନ ଦେଇ ଚୁପ ରହିଛି ବୋଲି ଶ୍ରୀ ମୁର୍ମୁ ଅଭିଯୋଗ କରିଛନ୍ତି । ଏଥିସହିତ ସ୍ଥାନୀୟ ପୁଲିସ ତାଙ୍କ ପରିବାର ସଦସ୍ୟଙ୍କୁ ହଇରାଣ ମଧ୍ୟ କରୁଛି ହେଲେ ସ୍ଥାନୀୟ ହୋ ସମ୍ପ୍ରଦାୟ ତଥା ସାମାଜିକ କାର୍ଯ୍ୟକର୍ତ୍ତାଙ୍କ ଉଦ୍ୟମରେ ପୁଲିସ ତଦନ୍ତ ଅଧିକାରୀଙ୍କୁ ବଦଳାଇ ଦେଇଥିଲେ । ବର୍ତ୍ତମାନ ଗିରଫ ହୋଇଥିବା ବ୍ୟକ୍ତିଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହି ଘଟଣାର ଜେଏମ୍ଏମ୍ ଯୁବମୋର୍ଚ୍ଚା ସିବିଆଇ ତଦନ୍ତ ପାଇଁ ଦୃଢ଼ ଦାବି କରିଛି । ଉକ୍ତ ଦାବିକୁ ସରକାର ଦୃଷ୍ଟି ନ ଦେଲେ ଜେଏମ୍ଏମ୍ ଯୁବମୋର୍ଚ୍ଚା ପକ୍ଷରୁ ଆନ୍ଦୋଳନ କରାଯିବା ବୋଲି ଚେତାବନୀ ଦିଆଯାଇଛି । ବିକ୍ଷୋଭ ପ୍ରଦର୍ଶନ ସମୟରେ ପୃଥୀରାଜ ହାଁସଦା, ଚୈତନ ସୋରେନ, ନବ ମାଣ୍ଡି, ଅମିୟ ସିଂ, ଶଙ୍ଖର ବାସ୍କେ, ବାସୁ ମାଣ୍ଡି, ବିଶ୍ୱନାଥ ଟୁଡୁ ପ୍ରମୁଖ ଉପସ୍ଥିତ ଥିଲେ ।
ଆଦିବାସୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ସିବିଆଇ ତଦନ୍ତ ପାଇଁ ଦାବି
|
August 21, 2020 |
