ଯାଜପୁର ତା୦୬.୦୬. ୨୦୨୨,(ସନ୍ଧାନ ନିଉଜ) :- ଯାଜପୁର ଜିଲ୍ଲାରେ ଅତିରିକ୍ତ ଜିଲ୍ଳାପାଳ (ପ୍ରଶାସନ) ଭାବେ ଅବସ୍ଥାପିତ ଶ୍ରୀ ମିହିର ପ୍ରସାଦ ମହାନ୍ତି ଙ୍କର ପଦୋନ୍ନତି ଯୋଗୁଁ ଅନ୍ୟତ୍ର ବଦଳି ହୋଇଛି । ଏହି ଉପଲକ୍ଷେ ସୋମବାର ଅପରାହ୍ନରେ ଜିଲ୍ଲା ପ୍ରଶାସନ ତରଫରୁ ଗ୍ରାମ୍ୟଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ଜିଲ୍ଲାପାଳ ଚକ୍ରବର୍ତି ସିଂହ ରାଠୋର ସଭାପତିତ୍ୱ କରି କହିଲେ ଯେ, ଶ୍ରୀ ମହାନ୍ତି ଅତିରିକ୍ତ ଜିଲ୍ଳାପାଳ ଭାବେ ନିଜ ବିଭାଗର କାର୍ଯ୍ୟକୁ ଅତି ଦକ୍ଷତାର ସହ ସଂପାଦନ କରି ଆସିଛନ୍ତି । ଯାହା ଫଳରେ ଜିଲ୍ଲା ପ୍ରଶାସନର ଆଭିମୁଖ୍ୟ ସାଧାରଣରେ ପ୍ରତିଫଳିତ ହୋଇପାରିଛି । ତାଙ୍କର କାର୍ଯ୍ୟ ଦକ୍ଷତାକୁ ଉପଲବ୍ଧି କରି ମୁଁ ପ୍ରଥମଥର ପାଇଁ ବୋଧ ହୁଏ କୌଣସି ଅଧିକାରୀଙ୍କୁ ଆଉ କିଛି ଦିନ ଜିଲ୍ଲାରେ ରହିବା ପାଇଁ ଇଚ୍ଛା ପ୍ରକାଶ କରିଥିଲି ବୋଲି ଜିଲ୍ଲାପାଳ ଶ୍ରୀ ରାଠୋର ମତବ୍ୟକ୍ତ କରିଥିଲେ । ଅନ୍ୟତମ ଅତିଥି ଭବେ ଅତିରିକ୍ତ ଜିଲ୍ଳାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ ଶ୍ରୀ ମହାନ୍ତିଙ୍କର କାର୍ଯ୍ୟଦକ୍ଷତା, କର୍ତବ୍ୟନିଷ୍ଠାକୁ ଭୁରି ଭୁରି ପ୍ରଶଂସା କରିବା ସହ ପଦୋନ୍ନତି ପାଇ ବଦଳି ହୋଇଥିବା ନୂତନ କାର୍ଯ୍ୟସ୍ଥଳୀରେ ମଧ୍ୟ ଏହିପରି ପ୍ରଶଂସାଭାଜନ ହେବେବୋଲି ଆଶାବ୍ୟକ୍ତ କରିଥିଲେ । ବିଦାୟୀ ଅତିିରିକ୍ତ ଜିଲ୍ଲାପାଳ ଶ୍ରୀ ମହାନ୍ତି ତାଙ୍କ ବକ୍ତବ୍ୟରେ କହିଲେ ଯେ, ମୋ ଚାକିରୀକାଳ ମଧ୍ୟରେ ଯେଉଁ ଯେଉଁ ସ୍ଥାନରେ କାର୍ଯ୍ୟ କରି ଆସିଛି ତନ୍ମଧ୍ୟରୁ ଯାଜପୁର ଜିଲ୍ଲା ମୋ ପାଇଁ ସର୍ବଶ୍ରେଷ୍ଠ । ଏହି ଜିଲ୍ଲାକୁ ମୁଁ କଦାପି ଭୁଲି ପାରିବି ନାହିଁ ବୋଲି କହିବା ସହ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କୁ ଶିଖିବା ବା କାମ କରିବାର ଆଗ୍ରହକୁ ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଜିଲ୍ଳା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାନ୍ତିଙ୍କୁ ପୁଷ୍ପଗୁଚ୍ଛ, ଉତରୀୟ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ପରେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟର ବିଭିନ୍ନ ବିଭାଗ ତରଫରୁ ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଦଶକ ଅଶୋକ କୁମାର ବେହୁରିଆ, ଉପଜିଲ୍ଲାପାଳ ଡ. ଶରତ ଚନ୍ଦ୍ର ମହାପାତ୍ର, ଡେପୁଟି କଲେକ୍ଟର କାଜଲ ପ୍ରଧାନ , ଅଶ୍ମିତା ଦାସ, ପ୍ରଜ୍ଞା ହୋତା, ସହକାରୀ ଜିଲ୍ଳାପାଳ ତିଳୋତମା ପୃଷ୍ଟି, ଜିଲ୍ଲା ମଙ୍ଗଳ ଅଧିକାରୀ ବୁଦ୍ଧଦେବ ପଣ୍ଡା, ଜିଲ୍ଳା ସାମାଜିକ ସୁରକ୍ଷା ଅଧିକାରୀ ରବିନ୍ଦ୍ରନାଥ ବେହେରା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର, ଜିଲ୍ଳା କ୍ରୀଡା ଅଧିକାରୀ ଫକୀର ମୋହନ ଟୁଡୁ, ଭାରପ୍ରାପ୍ତ ସୂଚନା ଓ ଲୋକସଂପର୍କ ଅଧିକାରୀ ସରୋଜ କୁମାର ଶତପଥି, ଯାଜପୁର ପୌରପାଳିକାର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଷୀ, ଜିଲ୍ଲା ସଂସ୍କୃତି ଅଧିକାରୀ ଦୂର୍ଯେ୍ୟାଧନ ମଲ୍ଲିକ, ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ ଜ୍ଞାନରଂଜନ ସେଠୀ, ଜିଲ୍ଲା ସାମଜ କଲ୍ୟାଣ ଅଧିକାରୀ ସୁବାଷ ଚନ୍ଦ୍ର ସାମଲ, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ, ସମସ୍ତ ବ୍ଲକ୍ର ବି.ଡ଼ି.ଓ ଏବଂ ତହସିଲଦାର ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ମହାନ୍ତିଙ୍କର କାର୍ଯ୍ୟଦକ୍ଷତା ଓ କର୍ତବ୍ୟନିଷ୍ଠା ଉପରେ ବକ୍ତବ୍ୟ ରଖିବା ସହ ତାଙ୍କୁ ଶୁଭକାମନା ଜଣାଇଥିଲେ ।
ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ)ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
|
June 7, 2022 |



